ରାଜଧାନୀ ଭୁବନେଶ୍ଵରର କେନ୍ଦ୍ରସ୍ଥଳ ସହିଦ୍ ନଗର ଠାରେ ଆଜକୁ ୫୦ ବର୍ଷ ତଳେ ପ୍ରତିଷ୍ଠା ଲାଭ କରିଥିବା ‘ଆର୍ଯ୍ୟସମାଜ, ଭୁବନେଶ୍ଵର'ର ଏକ ଗରିମାମୟ ଇତିହାସ ରହିଛି । ୧୯୭୬ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ଅନୁଷ୍ଠାନ ଅର୍ଦ୍ଧଶତାବ୍ଦୀ ଧରି ବେଦର ପ୍ରଚାର ପ୍ରସାର ସହ ବୈଦିକ ସଂସ୍କୃତିର ମହାନ ପରମ୍ପରାକୁ ଉଜ୍ଜୀବିତ କରି ରଖିଛି। ଏହି ପବିତ୍ର ଅନୁଷ୍ଠାନ ବେଦାଲୋଚନା, ଯଜ୍ଞାନୁଷ୍ଠାନ, ବୈଦିକ ସଂସ୍କାର, ଯୋଗସାଧନା ଓ ଶାସ୍ତ୍ରୀୟ ଗୁନ୍ଥାଗାର ପାଇଁ ପ୍ରସିଦ୍ଧି ଲାଭ କରିଛି । ଏହା ସୁବିଦିତ ଯେ କୌଣସି ପ୍ରାସାଦର ଭୂମି ଉପରେ ଥିବା ଅଂଶ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୁଏ, ପରନ୍ତୁ ତାହାର ଭିତ୍ତି ଦୃଷ୍ଟିପଥକୁ ଆସେ ନାହିଁ । ତାହା ବୋଲି କୌଣସି ପ୍ରାସାଦ ଭିତ୍ତିଶୂନ୍ୟ ନୁହେଁ । ପ୍ରାସାଦର ଦୃଶ୍ୟ ଭାଗ ଅପେକ୍ଷା ଅଦୃଶ୍ୟ ଭାଗକୁ ଜାଣିବା ପାଇଁ ସ୍ୱତଃ କୌତୁହଳ ଜାତ ହୁଏ ।
ଦେଶରେ ଆର୍ଯ୍ୟସମାଜ ସ୍ଥାପନାର ଶହେ ବର୍ଷ ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରେ ଜଣେ ଉଚ୍ଚ ବୈଷୟିକ ଶିକ୍ଷାପ୍ରାପ୍ତ ଇଂଜିନିୟରଙ୍କ ଶୁଦ୍ଧପୂତ ତପୋସାଧନାର ଫଳସ୍ୱରୂପ ଗଢ଼ି ଉଠିଥିଲା ଆର୍ଯ୍ୟସମାଜ। କୌଣସି ଭବନ ନ ଥାଇ ଆର୍ଯ୍ୟସମାଳର ଗତିବିଧି ତାଙ୍କ ବାସଭବନରେ ବହୁ ବର୍ଷ ଧରି ଚାଲିଥିଲା । ଭୁବନେଶ୍ୱର ଶହୀଦନଗର ସ୍ଥିତ ଏକ ବିସ୍ତୃତ ଭୂମିରେ ଆର୍ଯ୍ୟସମାଳର ଶୁଭାରମ୍ଭ ଏକ ସ୍ମରଣୀୟ ଦିବସ ଥିଲା। ଭୁବନେଶ୍ଵରରେ ଆର୍ଯ୍ୟସମାଳ କେନ୍ଦ୍ରର ସଂସ୍ଥାପକଙ୍କର ସଦୁଦ୍ୟମରେ ଭାରତ ପ୍ରସିଦ୍ଧ ବୈଜ୍ଞାନିକ ତଥା ପ୍ରଖ୍ୟାତ ବେଦଭାଷ୍ୟକର୍ତ୍ତା ସ୍ଵାମୀ ଡଃ. ସତ୍ୟପ୍ରକାଶଙ୍କ ଆଶୀର୍ବାଦ ଅପୂର୍ବ ସଂଯୋଗ ଥିଲା।
ପୂଜ୍ୟ ସ୍ବାମିଳୀ ବହୁବାର ଭୁବନେଶ୍ଵର ପଦାର୍ପଣ କରି ଆର୍ଯ୍ୟସମାଜ ପରିସରରେ ଯେଉଁ ଅମୃତମୟ ପ୍ରବଚନ ଶୁଣାଇଥିଲେ, ତାହାର ଫଳ ସ୍ୱରୂପ ଏହି ସ୍ଥଳ ଅବଶେଷରେ ତୀର୍ଥଭୂମିରେ ପରିଣତ ହେଲା । ପ୍ରଭୁ ସର୍ବଦା ସାତ୍ତ୍ୱିକ ଅଭିପ୍ରାୟର କୃପାଳୁ ସହଯୋଗୀ ଅଟନ୍ତି । ସେହି କୃପାବଳରେ ଆର୍ଯ୍ୟସମାଳ ପରିସରରେ ଅନେକ ବଦାନ୍ୟ ବ୍ୟକ୍ତିଙ୍କର ସାହାଯ୍ୟ ସହଯୋଗରେ ବେଦଭବନ, ମହର୍ଷି ଦୟାନନ୍ଦ ସ୍ମାରକ ଯଜ୍ଞମଣ୍ଡପ, ଶ୍ରଦ୍ଧାନନ୍ଦ ଭବନ ଆଦି ନିର୍ମିତ ହୋଇଛି। ବହୁ ନିଷ୍ଠାପର ସଦସ୍ୟ-ସଦସ୍ୟାଙ୍କ ଦ୍ଵାରା ଆର୍ଯ୍ୟସମାଜର ବହୁବିଧ ଲୋକହିତକାରୀ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇଛି।
ଅନୁଷ୍ଠାନର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ସଂକ୍ଷିପ୍ତ ଇତିହାସର ରୂପ ଦେବା ଅବସରରେ ମନରେ ସ୍ବତଃ ଭାବନା ଆସେ ଯେ ସଦୁଦ୍ଦେଶ୍ୟ ରଖି ମୁଷ୍ଟିମେୟ କେତେଜଣ ବେଦପ୍ରେମୀ ସାପ୍ତାହିକ ସତସଙ୍ଗକୁ ଆୟୁଧ କରି ଅନାସକ୍ତ ଭାବରେ ପ୍ରଭୁଙ୍କର ବେଦବାଣୀର ଚିନ୍ତନ ଓ ପ୍ରସାର ପାଇଁ ଯଥାଶକ୍ତି ଯେଉଁ ସଂକଳ୍ପର ବୀଜ ବପନ କରିଥିଲେ, ତାହା ଆଜି ଏକ ବିଶାଳ ଦ୍ରୁମରେ ପରିଣତ ହୋଇ ରାଜ୍ୟରେ ବେଦଜ୍ଞାଳ ପ୍ରଚାରର ପ୍ରମୁଖ ଭୂମିକା ନିର୍ବାହ କରିବାରେ ସକ୍ଷମ ହୋଇଛି।
ଭୁବନେଶ୍ଵର ଆର୍ଯ୍ୟସମାଜର ଏହି ସ୍ୱର୍ଣ୍ଣିମ ଇତିହାସକୁ ପ୍ରଜ୍ଜ୍ଵଳିତ କରିବା ପାଇଁ ଆସନ୍ତା ୨୦୨୬ ଡିସେମ୍ବର ମାସରେ ଏକ ବିଶାଳ ମହୋତ୍ସବର ଆୟୋଜନ କରାଯାଇଛି। ‘ସୁବର୍ଣ୍ଣ ଜୟନ୍ତୀ ସମାରୋହ" ଶୀର୍ଷକ ଏହି ମହୋତ୍ସବ ତିନି ଦିନ ଧରି ଚାଲିବ। ଏଥରେ ପାରାୟଣ ଯଜ୍ଞ ସହ ଭାରତର ପ୍ରସିଦ୍ଧ ବିଦ୍ୟାନ, ବେଦ ବିଶାରଦ, ବେଦ ଉପଦେଶକ, ପରିବ୍ରାଜକ ଓ ସାଧୁସନ୍ଥଙ୍କ ସମେତ ଓଡ଼ିଶାର ବହୁ ମୁର୍ଦ୍ଧନ୍ୟ ବିଦ୍ୟାନ, ବୁଦ୍ଧିଜୀବୀ, ସାହିତ୍ୟିକ, ସଂଗଠକ ଓ ପ୍ରବଚକମାନେ ଯୋଗଦେବେ। ବୈଦିକ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ଓ ବେଦର ପ୍ରଚାର ପ୍ରସାର କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତି ବିଶେଷ, ବେଦପ୍ରଚାରକ, ଆର୍ଯ୍ୟସମାଜ଼ ସଂଗଠକମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଯ୍ୟସମାଜ ଓ ବେଦର ପ୍ରଚାର ପ୍ରସାର କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ ବିଶେଷ ସମ୍ମାନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।